Latest News

୨୬ ବର୍ଷ ପରେ ଖୋଲିଲା ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ୍ ଫାଇଲ୍: ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଆରମ୍ଭ ହେଲା ସାକ୍ଷ୍ୟଗ୍ରହଣ

• ମୁଖ୍ୟ ସାକ୍ଷୀ ଦେଲେ ବୟାନ, ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର କରୁଛନ୍ତି ତଦାରଖ

. ୧୯୯୯ର ବହୁଚର୍ଚ୍ଚିତ ଘଟଣା, ସାକ୍ଷୀ ତାଲିକାରେ ଅଛନ୍ତି ୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି

ଭୁବନେଶ୍ୱର, ୩୦।୦୪: ପ୍ରାୟ ତିନି ଦଶନ୍ଧି ତଳେ ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ ମାମଲାରେ ଏବେ ପୁଣି ଥରେ ତନାଘନା ଆରମ୍ଭ ହୋଇଛି। ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱର ସ୍ଥିତ ସ୍ପେଶାଲ୍ ଟ୍ରାକ୍ କୋର୍ଟ କମ୍ ରେଜିଷ୍ଟ୍ରାର୍ କୋର୍ଟରେ ଏହି ସମ୍ବେଦନଶୀଳ ମାମଲାର ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଭାବେ ନିଯୁକ୍ତ ସ୍ପେଶାଲ୍ ପବ୍ଲିକ୍ ପ୍ରସିକ୍ୟୁଟର କାଳୀ ଚରଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ଶୁଣାଣିରେ ଆଜି ମୁଖ୍ୟ ସାକ୍ଷୀ ତଥା ତତ୍କାଳୀନ ଜୁନିୟର କ୍ଲର୍କ ଗୌରୀ ଶଙ୍କର ପଣ୍ଡା ନିଜର ବୟାନ ରେକର୍ଡ କରିଛନ୍ତି। ପୂର୍ବରୁ ଅନ୍ୟ ୬ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇସାରିଥିବା ବେଳେ, ସ୍ୱାସ୍ଥ୍ୟଗତ କାରଣରୁ ଆଉ ଦୁଇଟି ପର୍ଯ୍ୟାୟର ସାକ୍ଷ୍ୟଗ୍ରହଣ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି।କ’ଣ ଥିଲା ପୁରା ଘଟଣା?୧୯୯୯ ମସିହାରେ ବାଲେଶ୍ୱରର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି (କଳା) ବିଭାଗର ଜଣେ ଶେଷ ବର୍ଷର ଛାତ୍ରୀ ତଥା ରାଜ୍ୟସ୍ତରୀୟ ଆଥଲେଟ୍‌ଙ୍କୁ ସ୍ପୋର୍ଟସ୍ କୋଟାରେ ଚାକିରି ଏବଂ ଷ୍ଟାଇପେଣ୍ଡର ପ୍ରଲୋଭନ ଦେଖାଇ ଶୋଷଣର ଜାଲ ବିଛାଯାଇଥିଲା। ତତ୍କାଳୀନ ଖେଳ ଅଧ୍ୟାପିକା ପ୍ରଭାସିନୀ କର ସେହି ବର୍ଷ ଜୁନ୍ ୯ ତାରିଖରେ ଛାତ୍ରୀଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ କ୍ରିଷ୍ଣା ଟାୱାରକୁ ଆଣିଥିଲେ। ସେଠାରେ କିଛି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ଉକ୍ତ ଛାତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। କୌଶଳକ୍ରମେ ସେଠାରୁ ଖସିଆସି ପୀଡ଼ିତା ଜଣକ ବାଲେଶ୍ୱର ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ବିରୋଧାଭାସ ସୃଷ୍ଟି ହେବା ସହ ବିଧାନସଭାରେ ମଧ୍ୟ ତୁମ୍ଭିତୋଫାନ ଉଠିଥିଲା।ସିବିଆଇ ହାତକୁ ଯାଇଥିଲା ତଦନ୍ତଭାରପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା। ମାତ୍ର ବିରୋଧୀଙ୍କ ଚାପ, ତତ୍କାଳୀନ ବିଧାୟକ ସ୍ୱର୍ଗତଃ ଅରୁଣ ଦେଙ୍କ ଦାବି ଏବଂ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଭିତ୍ତି କରି ୨୦୦୦ ମସିହା ମେ’ ମାସରେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରାଯାଇଥିଲା। ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଧ୍ୟାପିକା ପ୍ରଭାସିନୀ ଏବଂ ତାଙ୍କ ପୁଅ ଡାକ୍ତର ସିଦ୍ଧାର୍ଥ ପାତ୍ର ମିଶି ଏକ ହାଇପ୍ରୋଫାଇଲ୍ ସେକ୍ସ ସ୍କାଣ୍ଡାଲ୍ ଚଳାଉଥିଲେ। ଏହି ମାମଲାରେ ଏକାଧିକ ଆଇଏଏସ୍ ଅଧିକାରୀ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ୨୦୦୧ ସେପ୍ଟେମ୍ବରରେ ଫେରାର ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ସିଦ୍ଧାର୍ଥଙ୍କ ଉପରେ ସିବିଆଇ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିବା ପରେ ସେ ଶେଷରେ ଅଦାଲତରେ ଆତ୍ମସମର୍ପଣ କରିଥିଲେ।ବର୍ତ୍ତମାନର ଅଦାଲତି ସ୍ଥିତି୨୦୧୨ ମସିହାରେ ପୀଡ଼ିତା ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକାଧିକ ଆଇଏଏସ୍ ଅଧିକାରୀଙ୍କ ସମ୍ପୃକ୍ତି ନେଇ ପିଟିସନ୍ ଦାଖଲ କରିଥିଲେ ମଧ୍ୟ ପରେ ନାଟକୀୟ ଢଙ୍ଗରେ ତାହାକୁ ପ୍ରତ୍ୟାହାର କରିନେଇଥିଲେ। ୨୦୧୩ ଫେବୃଆରୀ ୧୪ରେ ହାଇକୋର୍ଟ ଉକ୍ତ ପିଟିସନ୍‌କୁ ବରଖାସ୍ତ କରିଥିଲେ। ବର୍ତ୍ତମାନ ସିବିଆଇ ସ୍ୱତନ୍ତ୍ର ଅଦାଲତରେ (ଏସ୍‌ଟି ନଂ-୧୪୯/୧୫) ଏହି ମାମଲାର ସାକ୍ଷ୍ୟଗ୍ରହଣ ଚାଲୁରହିଛି। ସିବିଆଇ ଚାର୍ଜସିଟ୍‌ରେ ମୋଟ ୨୫ରୁ ଅଧିକ ସାକ୍ଷୀ ରହିଛନ୍ତି। ନିକଟରେ ନୀଳଗିରିର ଜଣେ ସାମ୍ବାଦିକ ନିଜର ପକ୍ଷ ରଖିଥିବା ବେଳେ, ଇତିମଧ୍ୟରେ ଜଣେ ସାକ୍ଷୀଙ୍କ ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ପରେ ଏହି ସ୍ପର୍ଶକାତର ମାମଲାର ଶୁଣାଣି ପ୍ରକ୍ରିୟା ଆଗେଇବା, ଆଇନ ବ୍ୟବସ୍ଥା ଉପରେ ପୁଣି ଥରେ ନଜର କେନ୍ଦ୍ରୀଭୂତ କରିଛି।

Related Posts

ଏଫ୍‌ଏମ୍ କଲେଜ HODଙ୍କ ବିରୋଧରେ ଅଶ୍ଳୀଳତାର ସାଂଘାତିକ ଅଭିଯୋଗ

ବାଲେଶ୍ୱର, ୨୯/୦୪: ବାଲେଶ୍ୱରର ପ୍ରତିଷ୍ଠିତ ଫକୀର ମୋହନ (ଏଫ୍‌ଏମ୍) ସ୍ୱୟଂଶାସିତ ମହାବିଦ୍ୟାଳୟ ପୁଣି ଥରେ ବିବାଦ ଘେରକୁ ଆସିଛି। ଜଣେ ଅଧ୍ୟାପକଙ୍କ କଳା କାରନାମା ଶିକ୍ଷାୟତନର ପବିତ୍ରତାକୁ କ୍ଷୁଣ୍ଣ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ (HOD) ସନ୍ତୋଷ…

ବାଲିକତିରଣ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଟାଟାଏସି, ୧୫ ଶ୍ରମିକ ଆହତ ଓ ୫ ଗୁରୁତର

ସୋର: ଏକ ବିବାହ ଉତ୍ସବରେ ଡିଜେ ଏବଂ ଆଲୋକସଜ୍ଜା କାମ ସାରି ଘରକୁ ଫେରୁଥିବା ବେଳେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟାଟାଏସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲିକତିରଣ ଛକ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି…

ରାତି ଅଧିଆ ଗାଁରେ ପଶିଲା ଦନ୍ତା: କେଦାରପୁର ପଞ୍ଚାୟତରେ କୋକୁଆ ଭୟ

ସୋର: ବିଳମ୍ବିତ ରାତିରେ ସୋର ଅନ୍ତର୍ଗତ କେଦାରପୁର ପଞ୍ଚାୟତରେ ଏକ ଦନ୍ତା ହାତୀର ପ୍ରବେଶକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ହଠାତ୍ କିଆରପୁର ଶାସନ ମଧ୍ୟରେ ଏହି ବିଶାଳକାୟ ହାତୀଟିକୁ ବୁଲୁଥିବାର ଦେଖି ଲୋକଙ୍କ ମଧ୍ୟରେ…

Leave a Reply

Your email address will not be published. Required fields are marked *